Unknown

ଆଲୋକ ପଥେ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ତୃତୀୟ ଭାଗ

ଉପଦେଶ

ମଝି ଦରିଆରେ ଜାହାଜ ଚାଲିଥାଏ। ଜାହାଜର ଉପର ମହାଲାରେ କପ୍ତାନ୍‌ଙ୍କ କୋଠରୀ। ଦୁଆର ଆଗରେ ଖଣ୍ଡିଏ ଛୋଟ ଚଉକିରେ ବସି କପ୍ତାନ୍‌କଅଣ ଭାବୁଥାଆନ୍ତି। ହଠାତ୍‌ଜଣେ ଖଲାସୀ ଦୌଡ଼ି ଆସି ତାଙ୍କୁ କହିଲା, ‘‘ହଜୁର, ନକୁଳାର ପତ୍ତା ମିଳୁନାହିଁ।’’ ‘‘କେଉଁ ନକୁଳା’’ ବୋଲି କପ୍ତାନ୍‌ପଚାରିବାରୁ ସେ କହିଲା, ‘‘ହଜୁର୍‌’’ ଯେଉଁ ୧୬।୧୭ ବର୍ଷର ଟୋକାଟି ନିତି ସକାଳୁ ଆସି ଆପଣଙ୍କ କୋଠରୀ ସଫା କରିଦେଇ ଯାଏ, ସେଇ। ଆମେ ଜାହାଜର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଖୋଜି ସାରିଲୁଣି।

 

କପ୍ତାନ୍‌କିଛି ସମୟ ଆଖି ବୁଜି କଅଣ ଭାବିଲେ; ତାପରେ ତଳ ମହଲାକୁ ଆସି ଅନ୍ୟ ଲୋକଙ୍କୁ ଚାହିଁ ପଚାରିଲେ, ‘‘ଆଜି ସଖାଳୁ କେହି ହେଲେ ନକୁଳାକୁ ଦେଖିଛ?’’ ଜଣେ କହିଲା, ‘‘ଆଜ୍ଞା ହଁ ହଜୁର, ପ୍ରାୟ ସାତଟା ବେଳେ ମୁଁ ଚା’ ନେଇ ଯାଉଥିଲି। ସେତିକିବେଳେ ଦେଖିଥିଲି, ନକୁଳା ଏଇ ପଟ ଧାରରେ ବସି ଝୁଙ୍କିପଡ଼ି ବାହାର ପାଖରେ ରଙ୍ଗ ଲଗାଉ ଥିଲା।’’ ଘଟଣା କ’ଣ ହୋଇଛି ଜାଣିବାକୁ କପ୍ତାନ୍‌ଙ୍କୁ ବେଶୀ ସମୟ ଲାଗିଲା ନାହିଁ। ହାତ ଘଡ଼ିକୁ ଚାହିଁ ଦେଖିଲେ ଯେ ସମୟ ଆଠଟା। ସେ ସାଙ୍ଗେ ସାଙ୍ଗେ ଜାହାଜ ଫେରାଇବାକୁ ହୁକୁମ ଦେଲେ। ଯେଉଁ ବାଟ ଦେଇ ଯାଇଥିଲା, ଠିକ୍‌ସେଇ ବାଟେ ଜାହାଜ ଫେରିଲା। ନିଜେ କପ୍ତାନ୍‌ସାହେବ ଉପର ମହଲାରେ ଛିଡ଼ା ହୋଇ ଏକ-ଧ୍ୟାନରେ ସମୁଦ୍ରକୁ ଚାହିଁ ରହିଥାନ୍ତି।

 

ଜାହାଜରେ ରଙ୍ଗ ଦେଲାବେଳେ ଦୈବାତ୍‌ମୁଣ୍ଡ ବୁଲାଇ ଦେବାରୁ ନକୁଳା ସମୁଦ୍ର ଭିତରକୁ ଖସି ପଡ଼ିଲା। ଅକାତକାତ ପାଣି, ବିଚରା କରେ କଅଣ?ଯୋଗକୁ କପ୍ତାନ୍‌ଙ୍କର ଗୋଟିଏ କଥା ତାର ମନେ ପଡ଼ିଗଲା। ସେ କହନ୍ତି, ‘‘ବିପଦରେ ପଡ଼ିଲେ ହଠାତ୍‌ଛାନିଆ ହୋଇଯିବ ନାହିଁ, ମୁଣ୍ଡ ଖେଳାଇ ଉଦ୍ଧାର ପାଇବାକୁ ଚେଷ୍ଟା କରିବ। ମୁଣ୍ଡ ଠିକ୍‌ରଖି ଉପାୟ ଚିନ୍ତା କଲେ ଅନେକ ସମୟରେ ରକ୍ଷା ମିଳେ।’’ ନକୁଳା ଆପଣା ହାତ ଗୋଡ଼ ହଲାଇ ଭାସିବାକୁ ଚେଷ୍ଟା କଲା।ଖଣ୍ଡେ ହାପ୍‌ପେଣ୍ଟ ପିନ୍ଧିଥାଏ; ଗୋଡ଼ରେ ଜୋତା ବି ଥାଏ। କାଇଦା କରି ସେତକ ସେ ଖୋଲି ବାହାର କରି ଦେଲା। ଢେଉ ଯୋଗୁଁ ବେଳେ ବେଳେ ତା ଆଖି କାନରେ ଲୁଣି ପାଣି ପଶି ଯାଉଥାଏ। ସେ ଆକଚା ହୋଇ ପଡ଼ୁଥାଏ; ତଥାପି ପହଁରୁ ଥାଏ। ତାର ଦୃଢ଼ ବିଶ୍ୱାସ ଥାଏ ଯେ, ସେ ଜାହାଜରେ ନାହିଁ ବୋଲି ଜାଣିବା ମାତ୍ରେ ସମସ୍ତେ ତାକୁ ଖୋଜି ଖୋଜି ତାରି ପାଖରେ ଆସି ପହଞ୍ଚିବେ। କୌଣସି ମତେ ସେତେବେଳ ପର୍ଯ୍ୟନ୍ତ ଯେବେ ସେ ନିଜକୁ ବଞ୍ଚାଇ ରଖେ, ତାହାହେଲେ ସେ ନିଶ୍ଚୟ ରକ୍ଷା ପାଇଯିବ।

 

ଜାହାଜ ଫେରି ଚାଲିଥାଏ। ପ୍ରାୟ ଘଣ୍ଟାଏ ବିତିଗଲାଣି। କିଂତୁ କେଉଁଠି ହେଲେ ନକୁଳାର ଚିହ୍ନବର୍ଣ୍ଣ ମିଳୁନାହିଁ। ଜାହାଜର କେତେଜଣ ଲୋକ ନିଜ ନିଜ ଭିତରେ କୁହାକୁହି ହେଉଥାନ୍ତି, ‘‘ଏ କପ୍ତାନ୍‌ବୁଢ଼ା ପାଗଳ ହୋଇଗଲେଣି। ମେଞ୍ଚଡ଼ ଟୋକା ଖଣ୍ଡେ, ପହଁରା ଜାଣେ କି ନାହିଁ ସନ୍ଦେହ; ସେ ପୁଣି ଜୀବନରେ ଥିବ, ଆମେ ତାକୁ ଖୋଜି ପାଇବା! ବୃଥାରେ ସମୟ ନଷ୍ଟ ହେଉଛି ସିନା!’’ ଠିକ୍‌ଏତିକିବେଳେ କପ୍ତାନ୍‌ଗର୍ଜନ କରି ଉଠିଲେ, ‘‘ଜାହାଜ ଅଟକାଅ।’’ ଲୋକେ କପ୍ତାନ୍‌ଙ୍କ ଆଡ଼କୁ ଅନାଇଁ ଦେଖିଲେ ଯେ ସେ ସମୁଦ୍ର ଭିତରକୁ ଏକ ଧ୍ୟାନରେ ଚାହିଁ ରହିଛନ୍ତି। ସମସ୍ତେ ସେଇ ଆଡ଼କୁ ଚାହିଁଲେ ଏବଂ ଅଳ୍ପ ଦୂରରେ ନଡ଼ିଆ ଭଳି ଗୋଟିଏ କାଳିଆ ଜିନିଷ ପାଣିରେ ଉବେଇ ଟୁବେଇ ହେଉଥିବାର ଦେଖିଲେ। କପ୍ତାନ୍‌ଙ୍କ ଆଦେଶରେ ସାଙ୍ଗେ ସାଙ୍ଗେ ଖଣ୍ଡିଏ ଜାଲିବୋଟ୍‌ସମୁଦ୍ର ଭିତରକୁ ଛାଡ଼ି ଦିଆଗଲା। ନିଜେ କପ୍ତାନ୍‌ସାହେବ ଦୁଇଜଣ ଖଲାସୀଙ୍କୁ ସଂଗରେ ଧରି ସେଇ ଆଡ଼କୁ ବୋଟ୍‌ଚଳାଇଲେ।

 

ଢେଉମାଡ଼ ଖାଇ ଖାଇ ନକୁଳା ହାଲିଆ ହୋଇଗଲାଣି। ଟୋକା ଖଣ୍ଡେ, କେତେ ବା ଶକ୍ତି ତା’ର?ହାତ ଗୋଡ ଅଚଳ ହେଲାଣି, ଚେତା ବୁଡ଼ି ଆସୁଛି, ଜୀବନ ଯିବା ଉପରେ! ଠିକ୍‌ଏତିକିବେଳେ କପ୍ତାନ୍‌ଦୁଇହାତ ବଢ଼ାଇ ନକୁଳା ମୁଣ୍ଡକୁ ଉପରକୁ ଟେକି ଧରିଲେ। ତାପରେ କ୍ରମେ ଅନ୍ୟ ଦୁଇଜଣ ଖଲାସୀଙ୍କ ସାହାଯ୍ୟରେ ତାକୁ ପାଣିରୁ ଉଠାଇ ବୋଟ୍‌ଉପରକୁ ଅଣାଗଲା ଏବଂ ଜାହାଜକୁ ନିଆଗଲା। ପ୍ରାଥମିକ ଚିକିତ୍ସା ପରେ ଧୀରେ ଧୀରେ ତାର ଚେତା ଫେରି ଆସିଲା। ମାତ୍ର ଦେହର ଅବସ୍ଥା ଏପରି ଖରାପ ହୋଇଥାଏ ଯେ ଚିକିତ୍ସାର ସାମାନ୍ୟ ତ୍ରୁଟି ହେଲେ ମୃତ୍ୟୁ ଘଟିବାର ଆଶଙ୍କା ଥିଲା। ତେଣୁ ତାର ସେବା ଯତ୍ନରେ ଯେପରି କୌଣସି ଅବହେଳା ନ ହୁଏ, ସେଥିଲାଗି କପ୍ତାନ୍‌ସମସ୍ତଙ୍କୁ ବିଶେଷ ସତର୍କ କରେଇ ଦେଇଥିଲେ।

 

ଇତିମଧ୍ୟରେ ତିନି ଦିନ ବିତିଗଲାଣି; ବନ୍ଦରରେ ଜାହାଜ ଲାଗିବାକୁ ଆଉ ଦୁଇଦିନ ଥାଏ। ନକୁଳାର ଅବସ୍ଥା ଭଲ ହୋଇଆସିଲାଣି, ବେଶ୍‌କଥାବାର୍ତ୍ତା କରିପାରୁଥାଏ; କିନ୍ତୁ ବିଛଣାରୁ ଉଠି ନ ଥାଏ। କପ୍ତାନ୍‌ତାକୁ ଦେଖିବାକୁ ଆସିଲେ। ନକୁଳା ତାଙ୍କୁ ନମସ୍କାର କଲା। ସେ ହସି ହସି ପଚାରିଲେ, ‘‘ଆଚ୍ଛା, ତୁମେ ତ ପହଁରି ଜାଣି ନ ଥିଲ, ଦୁଇ ଘଣ୍ଟା କାଳ ବଞ୍ଚି ରହିଲ କିମିତି?’’ ନକୁଳା ଉତ୍ତର ଦେଲା, ‘‘ଆଜ୍ଞା, ଆପଣ ବତାଇ ଥିଲେ ପରା!’’ କପ୍ତାନ୍‌କାବ୍‌ବା ହୋଇ କହିଲେ, ‘‘ମୁଁ ବତେଇଥିଲି?’’

 

ନକୁଳା ଜବାବ ଦେଲା, ‘‘ଆଜ୍ଞା ହଁ, ବିପଦରେ ପଡ଼ିଲେ ବୁଦ୍ଧି ଖର୍ଚ୍ଚ କରି ରକ୍ଷା ପାଇବାକୁ ଚେଷ୍ଟା କରିବା କଥା ଆପଣ ସମସ୍ତଙ୍କୁ କହନ୍ତି; ମୋତେ ବି କହିଥିଲେ। ମୁଁ ଜାହାଜରୁ ଖସି ପଡ଼ିଛି ବୋଲି ଜାଣିଲାକ୍ଷଣି ଆପଣ ଯେ ଯାଇ ଠିକ୍‌ମୋ ପଡ଼ିବା ଯାଗାରେ ପହଞ୍ଚିବେ, ଏଥିରେ ମୋର ତିଳେହେଲେ ସନ୍ଦେହ ନ ଥିଲା। ସେଥିପାଇଁ ହାତ ଗୋଡ଼ ହଲାଇ କୌଣସିମତେ ପାଣି ଉପରେ ଭାସି ରହିବାକୁ ଚେଷ୍ଟା କରିଥିଲି।’’ ନକୁଳା ମୁହଁରୁ ଏ କଥା ଶୁଣି କପ୍ତାନ୍‌ଅବାକ୍ ହୋଇଗଲେ ଏବଂ ପଚାରିଲେ, ‘‘ମୁଁ ଯେ ଜାହାଜ ନେଇ ଠିକ୍‌ସେହିଠାରେ ପହଞ୍ଚିବି, ଏ କଥା ତୁମେ କିମିତି ଜାଣିଲ?’’ ଏତେବେଳ ଯାଏ ନକୁଳା ତଳକୁ ମୁହଁପୋତି କଥାବାର୍ତ୍ତା କରୁଥିଲା। କିଂତୁ କପ୍ତାନ୍‌ଙ୍କର ଏହି ଶେଷ ପ୍ରଶ୍ନଟି ଶୁଣିଲା ମାତ୍ରେ ତାଂଙ୍କ ମୁହଁକୁ ଚାହିଁ କହିଲା, ‘‘ଆଜ୍ଞା, ସେତକ ନ ଜାଣିଥିଲେ ଦୁଇ ଘଣ୍ଟା କଅଣ, ଦୁଇ ମିନିଟ୍‌ସୁଦ୍ଧା ମୁଁ ବଞ୍ଚି ପାରି ନ ଥାନ୍ତି! ଆଜକୁ ତିନି ବର୍ଷ ହେଲା ମୁଁ ଏଇ ଜାହାଜରେ ଚାକିରି କରୁଛି। ଆପଣଙ୍କୁ ନିଇତି ଦେଖୁଛି। ଆପଣ ଆମ୍ଭମାନଙ୍କୁ ଯାହା ଉପଦେଶ ଦିଅନ୍ତି, ନିଜେ କାମରେ ସେଇଆ କରନ୍ତି। ଆପଣ ଯେ ମୁଣ୍ଡ ଖର୍ଚ୍ଚ କରି ମୋତେ ଠିକ୍‌ଖୋଜି ବାହାର କରିବେ, ଏ କଥାରେ ମୋର ପୂରା ବିଶ୍ୱାସ ଥିଲା।’’ ଏତକ ଶୁଣିବା ମାତ୍ରେ କପ୍ତାନ୍‌ଦୌଡ଼ି ଯାଇ ନକୁଳାକୁ କୁଣ୍ଢାଇ ପକାଇ କହିଲେ, ‘‘ରାଜା ମହାରାଜାଙ୍କ ଠାରୁ ‘ବାହାବା’ ଶୁଣିବା ଅପେକ୍ଷା ତୋର ଏଇ ଅନ୍ତରର କଥା ପଦକର ମୂଲ୍ୟ ମୋ ଠାରେ ଢେର ବେଶୀ। ୟା ଅପେକ୍ଷା ଜୀବନରେ ଆଉ ବଡ଼ ପୁରଷ୍କାର ମୁଁ ପାଇ ନ ଥାନ୍ତି।’’ ପାଖରେ ଛିଡ଼ା ହୋଇଥିବା ତଳିଆ କର୍ମଚାରୀମାନଙ୍କୁ ଚାହିଁ ସେ କହିଲେ, ‘‘ବୁଢ଼ା ହେଲି; ଏବେ କାମରୁ ଛୁଟି ନେବି। ତୁମ୍ଭମାନଙ୍କ ଭିତରୁ କେହି ମୋ ସ୍ଥାନରେ କପ୍ତାନ୍‌ହୋଇପାର। କିଂତୁ ଗୋଟିଏ କଥା ମନେ ରଖ, ଲୋକେ କଥା ଅପେକ୍ଷା କାମରୁ ବେଶୀ ଶିଖନ୍ତି। ତୁମ କଥା ଓ କାମ ଭିତରେ ଯଦି ତଫାତ୍‌ରହେ, ତାହେଲେ ବାହାର ଲୋକଙ୍କ କଥା ଦୂରେ ଥାଉ, ଆପଣା ପୁଅ ଝିଅ ବି ତୁମ ଉପଦେଶ ମାନିବେନି।’’

 

ଧର୍ମବକ

ଶୁଣ ସୁଜନେ ଦେଇ ମନ।ଏ ମହାଭାରତ ଆଖ୍ୟାନ।

ପଶା ଖେଳରେ ରାଜ୍ୟ ହାରି।ପାଣ୍ଡବେ ନିଜ ସତ୍ୟ ପାଳି।

ଭ୍ରମନ୍ତି ଦେଶ ଦେଶାନ୍ତରେ।ଶୋଚନା ନ ଥାଇ ଅନ୍ତରେ।

କାମାକ୍ଷା ବନେ ଏକ ଦିନ।ଘଟିଲା ବିଚିତ୍ର ଘଟନ।

 

ବିଷମ ଗ୍ରୀଷମ ସମୟ।ମହୀ ତପତ ଅତିଶୟ।

ପାଣ୍ଡବେ ହେଲେ ତୃଷାକୁଳ।ପାରୁଶେ ନ ଦେଖିଣ ଜଳ।

ନକୁଳେ ରାଇ ଯୁଧିଷ୍ଠିର।ଭାଷିଲେ ଏମନ୍ତ ଯେ ଗୀର।

ତୃଷାରେ ବିକଳ ପରାଣ।ବାବୁରେ ଜଳ ଲୋଡ଼ି ଆଣ।

 

ଭ୍ରାତୃ ଆଦେଶ ଶିରେ ଧରି।ଗଲେ ନକୁଳ ଜଳ ଲୋଡ଼ି।

ସଳଖେ ଯାଉଁ କେତେଦୂର।ଦେଖିଲେ ଦିବ୍ୟ ସରୋବର।

ବେଗେ ଚଳିଲେ ତାର ପାଶେ।ପିପାସା ମେଣ୍ଟାଇବା ଆଶେ।

ଶୋଷେ ଶୁଖିଛି କଣ୍ଠ ତାଳୁ।ଅଞ୍ଜଳି ଭରି ଜଳ ତୋଳୁଁ।

 

ଶୁଭିଲା କାହୁଁ ଶୂନ୍ୟ ବାଣୀ।କର୍ଣ୍ଣ ଡେରିଲେ ବୀରମଣି।

ଘେନ ହେ ବୀର ମୋ ବଚନ।ଏହୁ ସରସୀ ମୋର ଜାଣ।

ପୁଚ୍ଛା କରିବି ଯାହା ମୁହିଁ।ତାର ଉତ୍ତର ଦିଅ କହି।

ନ କହି ଛୁଅଁ ଯେବେ ଜଳ।ପ୍ରାଣ ହାରିବ ବୀରବର।

 

ଏମନ୍ତ ଶୂନ୍ୟ ବାଣୀ ଶୁଣି।ନକୁଳ ମନେ ମନେ ଗୁଣି।

ଆଗେ ନିବାରି ଘୋର ତୃଷା।ପଛେ ହେଜିବି ଶୂନ୍ୟ ଭାଷା।

ଏମନ୍ତ ବିଚାରି ସେ ମନେ।ଜଳ ଛୁଅନ୍ତେ ତତକ୍ଷଣେ।

ଶରୀର ହେଲା ଅବସନ୍ନ।ପିଣ୍ଡରୁ ଛାଡ଼ିଲା ପରାଣ।

 

ବିଳମ୍ୱ ନ ପାରନ୍ତି ସହି।ତୃଷା-ଆକୁଳ ଚାରି ଭାଇ।

ନକୁଳ ନ ଆସିବା ଦେଖି।ଯୁଧିଷ୍ଟି ହେଲେ ଘୋର ଦୁଃଖୀ।

ସହଦେବଙ୍କୁ ଚାହିଁ କହି।ବେଗେ ହୋ ଜଳ ଆଣ ଯାଇ।

ଉଛୁର କଲାକ ନକୁଳ।କିବା କାରଣ ବୁଝ ତା’ର।

 

ଚଳିଲେ ସହଦେବ ଖରେ।ମିଳିଲେ ପୁଷ୍କରିଣୀ ତୀରେ।

ସେହି ସେ ସ୍ୱଚ୍ଛ ଜଳାଶୟ।ତୃଷିତ ଜନ ସୁଖାଳୟ।

ନକୁଳ ପିଣ୍ଡେ ନାହିଁ ପ୍ରାଣ।ଦେଖି ହୋଇଲା ମନ ଛନ୍ନ।

ଜଳ ଆହରି ଗଲେ ଯହୁଁ।ଶୂନ୍ୟ ଶବଦ ଶୁଭେ କାହୁ।

 

ମୋ ପ୍ରଶ୍ନ ଉତ୍ତର ନ ଦେଇ।ଜଳ ଛୁଇଁଲେ ନାଶ ଯାଇ।

ଶୁଣିଣ ନ ଶୁଣିଲା ପରି।ଆଗ ସେ ଭରିଲେ ଅଞ୍ଜଳି।

ଆତୁରେ କରୁଁ ଜଳପାନ।ନିମିଷେ ହାରିଲେ ଜୀବନ।

ମାଦ୍ରୀ ତନୟ ଏହୁ ଦୁଇ।ମହୀ ଶୟନ କଲେ ତହି।

 

ଅଥୟ ହେଲେ ପଥ ଚାହିଁ।କୁନ୍ତୀ ତନୁଜ ତିନି ଭାଇ।

ସହଜେ ତୃଷାରେ କାତର।ଏଣେ ଘାରିଲା ଚିନ୍ତା ଘୋର।

ଶୋକେ ଭାଷନ୍ତି ଯୁଧିଷ୍ଠିର।କେଣେ ରହିଲେ ଭାଇ ମୋର।

ଶୁଣ ହେ ବାବୁ ଅରଜୁନ।ତଲାସ ଏଥିର କାରଣ।

 

ଫେରିବ ନ କରି ଉଛୁର।ମୋ ଲାଗି ଆଣିଥିବ ଜଳ।

ଆଜ୍ଞା ପ୍ରମାଣେ ଧନଞ୍ଜୟ।ଚଳିଲେ କୃଷ୍ଣ କରି ଲୟ।

ସୁଜନେ, ଲଲାଟ ଲେଖନ।କରି ପାରଇ କେ’ବା ଆନ।

ଯକ୍ଷର ବାରଣ ନ ମାନି।ଜଳ ଛୁଅଁନ୍ତେ ଫାଲଗୁନି।

 

ଟଳି ପଡ଼ିଲେ ତତକ୍ଷଣ।ଅକାଳେ ହୋଇଲା ମରଣ।

ଅର୍ଜ୍ଜୁନ ନ ଫେରିବା ଚାହିଁ।ବିକଳ ହେଲେ ବେନି ଭାଇ।

ଭୀମକୁ ରାଇ ଯୁଧିଷ୍ଠିର।ବୋଇଲେ ଯାଅ ବୃକୋଦର।

ବିଳମ୍ୱ ହେତୁ ଦୋହେ କଣା।ହେଲେ କି ସର୍ବେ ବାଟ ବଣା?

 

ବିପଦ ପଡ଼ିଲା ବା କିସ।ହେଲେ କି ପାଣ୍ଡବେ ବିନାଶ?

ଜଳରେ ନାହିଁ ମୋ ସରାଗ।କିସ ହୋଇଲା ବୁଝ ଆଗ।

ଚଳିଲେ ଭୀମ ମହାବଳୀ।କ୍ରୋଧେ ଶରୀର ଯାଏ ଜଳି।

ଦେଖିଲେ ଯେବେ ତିନି ଭାଇ।ସରସୀ ତୀରେ ଛନ୍ତି ଶୋଇ।

 

ଭାଳିଲେ ମନେ ଭୀମସେନ।କୂଟ କରିଛି ଦୁର୍ଯ୍ୟୋଧନ।

ମେଣ୍ଟାଇ ଆଗ ତୃଷା ମୋର।କରିବି ୟାର ପ୍ରତିକାର।

ଦେଖିବି ସେହୁ କାହିଁ ଯିବ।ମୁଥାଏ ମାରି ନେବି ଜୀବ।

ଏତେ ବିଚାରି ଜଳ ଆଶେ।ଯାଉଁ ଶୁଭିଲା ଅତି ପାଶେ।

 

କଥାର ଉତ୍ତର ମୋ ଦିଅ।ମନ ଇଚ୍ଛାରେ ଜଳ ପିଅ।

ନୋହିଲେ ବିପତ୍ତି ପଡ଼ିବ।ଭାଇ ମାନଙ୍କ ଦଶା ହେବ।

କିଛିହିଁ ନ ଶୁଣନ୍ତେ ଭୀମ।ନିମିଷେ ବିଧି ହେଲା ବାମ।

ଭୀମର ନ ଫେରିବା ଦେଖି।ଯୁଧିଷ୍ଠି ହେଲେ ମହାଦୁଃଖୀ।

 

ମନରେ ଲାଗିଲା ସଂଶୟ।କାତର ହେଲେ ଅତିଶୟ।

ତୃଷାରେ ବିକଳ ପରାଣ।କେଡ଼େ ବିପତ୍ତି ହେଲା ପୁଣ।

ଉଠିଲେ ଧର୍ମ ଯୁଧିଷ୍ଠିର।ପଶିଲେ ବେଗେ ବନ ଘୋର।

ପ୍ରବେଶି ପୁଷ୍କରିଣୀ ପାଶ।ଦେଖିଲେ ଏ କି ସର୍ବନାଶ।

 

ପରାଣ-ପ୍ରିୟ ଚାରି ଭାଇ।ପଡ଼ି ଅଛନ୍ତି ପ୍ରାଣ ନାହିଁ।

ଶୋକେ ଆକୁଳ ଧର୍ମ ବୀର।ନେତ୍ରୁ ବହଇ ନୀର ଧାର।

ଆହା କି ହେଲା ନିଦାରୁଣ।ବିଧି କାହିଁକି ହେଲା ବାମ।

ଜନନୀ ଆଗେ କିସ ବୋଲି।କହିବି ଏଥୁଁ ଗଲେ ଚାଲି।

 

ପାଞ୍ଚାଳୀ କି ବୋଲି ବୋଧିବି।କି ଘେନି ଅବା ବଞ୍ଚିଥିବି।

ମୋ ଲାଗି ମଲେ ଚାରି ଭାଇ।ଯେଣୁ ମୁଁ ଆଜ୍ଞା ଦେଲି ରାଇ।

ଏତେ ଭାଳିଣ ଯୁଧିଷ୍ଠିର।ମନ ମଧ୍ୟରେ କଲେ ସ୍ଥିର।

ଆଗ ମୁଁ ତୃଷା ନିବାରିବି।ତହୁଁ ଉପାୟ ବିଚାରିବି।

 

ବଢ଼ାନ୍ତେ କର ସର ଜଳେ।ଡାକ ଶୁଭିଲା ତତ୍‌କାଳେ।

ତୁମ୍ଭଙ୍କୁ ପୁଚ୍ଛିବି ମୁଁ ଯାହା।ନିଶ୍ଚେ କହିବ ନରନାହା।

ବାରଣ ନ ମାନି ମୋହର।ଦେଖ ଦୁର୍ଦ୍ଦଶା ଏହାଙ୍କର।

ପ୍ରଶ୍ନର ସଠିକ ଉତ୍ତର।ଦେଇ ପ୍ରସନ୍ନ ମୋତେ କର।

 

ଇଚ୍ଛାରେ ଜଳହିଁ ପିଇବ।ଯେଣିକି ଖସି ଚାଲିଯିବ।

ଏଥିକି ସନମତ ହେଲେ।ପଚାର ଯୁଯେଷ୍ଟି ବୋଇଲେ।

ମୋ ମନ ବିବେକକୁ ଚାହିଁ।ଉତ୍ତର ଦେବି ମୁଁ ବୁଝାଇ।

ପୁଚ୍ଛଇ ଯକ୍ଷ କହ ବତ୍ସ।ବିପଦେ କେ ରକ୍ଷା କବଚ?

 

କେ ଅବା ପାନ୍ଥ ଜନ ସଖା ।ସ୍ୱଗହେ ସାଥୀରେ କେ’ ଲେଖା?

କିସ ବରଜି କହ ରାଜା।ଧରାରେ ନର ପାଏ ପୂଜା।

ପ୍ରଶ୍ନ ଉତ୍ତରେ ଯୁଧିଷ୍ଠିର।ଭାଷିଲେ ସୁଚିନ୍ତିତ ଗୀର।

ବିପଦ ଘୋଟିଲେ ତରିବ।‘ସାହସ’ ଯେବେ ବାନ୍ଧିଥିବ।

 

‘ବିଦ୍ୟା’ ହିଁ ପନ୍ଥଜନ ସଖା।‘ଗହିଣୀ’ ଗହେ ସାଥୀ ଲେଖା।

ବରଜି ‘ଅହଙ୍କାର’ ନର।ଜଗତେ ଲଭଇ ଆଦର।

ଆବର ଯେତେକ ପ୍ରଶ୍ନର।ଉତ୍ତର ଦେଲେ ଯୁଧିଷ୍ଠିର।

ସନ୍ତୋଷ ଉତ୍ତର ଲଭିଲେ।ଶୂନ୍ୟରୁ ପୁଣି ପଚାରିଲେ।

 

ଘେନ ରାଜନ, ମୋର ବାଣୀ।ଧନ୍ୟ ଧନ୍ୟ ତୁ ବୀରମଣି।

କଥାରେ ହୋଇଛି ମୁଁ ତୃଷ୍ଟ।ଯାଚି ଦେଉଛି ଏକ ଇଷ୍ଟ।

ଚାରି ଭାଇରୁ ଏକ ଭାଇ।ବଞ୍ଚିବ ମୋର ଆଜ୍ଞା ପାଇ।

ମାଗି ତୁ ନିଅ ଯେହୁ ପ୍ରିୟ।ମନରେ ନକରି ସଂଶୟ।

 

ମଉନେ ରହି କ୍ଷଣ କାଳ।ବୋଲନ୍ତି ଧୀରେ ଯୁଧିଷ୍ଠିର।

ହେ ଦେବ ଯେବେ କଲ କୃପା।ଦିଅ ନକୁଳ ପ୍ରାଣ ଭିକ୍ଷା।

ଏକାଳେ ଶୁଭେ ଶୂନ୍ୟବାଣୀ।ବିଚାର କର ନରମଣି।

ତୁମ ବିମାତା ସୃତ ସେହି।ବୃଥା ସେନେହ ନ ଯୋଗାଇ।

ଭୀମ ଅର୍ଜୁନ ସହୋଦର।ତାହାଙ୍କୁ କରିଦେଲ ପର।

 

ଏ ଅତି ଅନୀତି ବିଚାର।ଶୁଣି ଚକିତ ଯୁଧିଷ୍ଠିର।

ଚାହିଁ ଭାଷିଲେ ଧର୍ମସୁତ।ଭୀମ ଅର୍ଜୁନ ପ୍ରିୟ ସତ।

ମାତ୍ର ନକୁଳ ସହଦେବ।ଊଣା ନୁହନ୍ତି ଜାଣିଥିବ।

ମାତା, ବିମାତା ସୁତ କେବେ।ଭେଦ ମୁଁ କରିନାହିଁ ଲବେ।

 

କୁନ୍ତୀ ମାତାଙ୍କ ତିନି ସୁତ।ଯେଣୁ ମୁଁ ରହିଛି ଜୀବୀତ।

ମାଦ୍ରୀ ମାତାଙ୍କ ଚିହ୍ନ ରୂପେ।ନକୁଳ ଶୋଭା ପାଉ ଲୋକେ।

ଆନେ ମୋ ନାହିଁ ପ୍ରୟୋଜନ।ଦିଅସି ନକୁଳ ଜୀବନ।

ରୂପ ଲୁଚାଇ ଧର୍ମ୍ମ ଦେବ।ଛଳେ ଭିଆଇ ଥିଲେ ସର୍ବ।

 

ଧରିଲେ ଆପଣା ଶରୀର।ଉଭା ହୋଇଲେ ତତପର।

ହରଷେ ହୋଇ ସୁପ୍ରସନ୍ନ।କହିଲେ ମଧୁର ବଚନ।

ବତ୍ସ, ମୁଁ ଶୂନ୍ୟ ପଥେ ଥାଇ।ପରୀକ୍ଷା କଲି ପାଞ୍ଚ ଭାଇ।

ତୁମ୍ଭେ ହିଁ ହୋଇଛ ଉତ୍ତୀର୍ଣ୍ଣ।ଧନ୍ୟ ହେ ପୁତ୍ର, ଧନ୍ୟ ଧନ୍ୟ।

 

ଯେଣୁ ତୁ ନିଜ ସ୍ୱାର୍ଥବଶେ।ପଥ ନ ହୁଡ଼ି ଅବଶେଷେ।

ଆପଣା ସ୍ୱାର୍ଥ ବଳି ଦେଇ।ମାଗିଲୁ ନକୁଳର ଦେହୀ।

ତେଣୁ ନ୍ୟାୟରେ ଉଚ୍ଚ ସ୍ଥାନ।ଦେଇ ସଂସାରେ ହେଲୁ ଧନ୍ୟ।

ଚାରି ଭାଇଙ୍କୁ ଘେନି ଯାଅ।ଆପଣା ସୁଖେ ରହିଥାଅ।

 

ଏତେକ ଆଶୀର୍ବାଦ କରି।ଧର୍ମ-ଦେବତା ଗଲେ ଚଳି।

ପାଣ୍ଡବେ ଜୀବନ ପାଇଲେ।ନିଦରୁ ଉଠିବା ମଣିଲେ।

ପାଞ୍ଚ ଭାଇଏ ହସ ହସ।ଧରମ ବକ ‘କଥା ରସ’’।

କହନ୍ତି ଶୁକ ପରୀକ୍ଷିତେ।‘ଭରତ’ ଜଗତର ହିତେ।

 

 

ସାର

ପ୍ରଥମ ଦୃଶ୍ୟ

[ଜଗନ୍ନାଥ ପୁର ଗାଁ ଦାଣ୍ଡ। ହରି ଘରର ବାଟ ମୁହଁ ସେଇ ଦାଣ୍ଡ ଆଡ଼କୁ। ହରିର ସ୍ତ୍ରୀ ପାଚିଆଏ ଅଳିଆ ନେଇ ବାଟଘର ଭିତରୁ ଦାଣ୍ଡକୁ ଛାଟି ଦେଲା। ଠିକ ସେତିକିବେଳେ ଜଣେ ବାଟୋଇ ସେଇ ବାଟେ ଯାଉଥିଲେ। ଯୋଗକୁ ତାଂକରି ଉପରେ ଝାଟୁଆ ତକ ଅଜାଡ଼ି ହୋଇ ପଡ଼ିଲା।]

 

ବାଟୋଇ- (ହରି ସ୍ତ୍ରୀକୁ ପାଛିଆ ଧରି ଚାଲିଯାଉଥିବାର ଦେଖି) ମଲା, ମଲା, ଅଳିଆ ଗୁଡ଼ାକ ସକାଳୁ ମୋରି ଉପରେ ପକାଇବାକୁ ଥିଲା ନା ତମର?

 

ସ୍ତ୍ରୀଲୋକ- ଦାଣ୍ଡ ମଝିକି ମୁଁ ଅଳିଆ ପକେଇଲି, ତୋ ଉପରେ କାହିଁକି ପକାନ୍ତି ମ?

ବାଟୋଇ- ପକେଇଲ ତ, ପକାନ୍ତ ଆଉ କଣ?...

ସ୍ତ୍ରୀଲୋକ- ଭଲ କଲି ତୁ ଅଳପେଇସିଆ କାଇଁକି ନାକ ସଳଖେ ମାଡ଼ି ଯାଉଥିଲୁ କି!

ବାଟୋଇ- ମାଉସି, ମୁଁ ତ ରାସ୍ତାରେ ଚାଲି ଯାଉଥିଲି-ମୁଁ କଣ ଜାଣିଚି ଯେ ଠିକଣା ବେଳକୁ ତୁମେ ଦାଣ୍ଡ ମଝିକି ଅଳିଆ ଗୁଡ଼ାଏ ଛାଟିଦବ ବୋଲି?

 

ସ୍ତ୍ରୀଲୋକ- ମ, ଦାଣ୍ଡ ମଝିକି ପକେଇବି ନି ଆଉ କଣ ତୋ ମୁହଁକୁ ପକେଇବି!

ବାଟୋଇ- ମୋ ମୁହଁକୁ ନ ପକେଇବ ବୋଲି କଣ ଏଇ ଦାଣ୍ଡରେ ଆଣି ପକେଇବ! ଛି!

ସ୍ତ୍ରୀଲୋକ- କଣ କହିଲୁ ପୋଡ଼ାମୁହାଁ! ଛି! ହଇରେ, ମୋ ଦାଣ୍ଡରେ ମୁଁ ଅଳିଆ ପକେଇଲି କି ଘୁଅ ଗୋଗର ପକେଇଲି ତୋର କ’ଣ ଗଲା! ପକେଇଲି ବେଶ୍‌କଲି, ଆଚ୍ଛା କଲି, ଆହୁରି ପକେଇବି!

 

ବାଟୋଇ- ଏଁ?ଆହୁରି ପକେଇବ!

ସ୍ତ୍ରୀଲୋକ- ତୋ ସୁନ୍ଦର ମୁହଁ ଯଦି ବାନ୍ଦର ହୋଇଗଲା, ଆଉ ଏ ବାଟେ ନ ଆସିବୁ!

ବାଟୋଇ- ଆଚ୍ଛା, ମିଛୁଟାରେ ତୁମେ କାଇଁକି ତୁଣ୍ଡ ହୁଡୁଚ କହିଲ ମାଉସି?

ସ୍ତ୍ରୀଲୋକ- ହଇରେ, ମୁଁ ତୁଣ୍ଡ ହୁଡ଼ିଚି ନା ତୁ ତୁଣ୍ଡ ହୁଡ଼ୁଚୁ! ମୁଁ କଣ ତୋ ବାପର ଶାଳୀ ଯେ ମତେ ‘ମାଉସି’ ‘ମାଉସି’ ବୋଲି ଟାପରା କରୁଚୁ। ହଇରେ ଗାତପଶା, ତୁ ଟା ଭଲ ଲୋକ ହୋଇଥିଲେ, କାଇଲି କାମ କରି ଆହୁରି ମାଇପିଟା ସାଂଗରେ କଜିଆ କରୁଥାନ୍ତୁ!

 

ବାଟୋଇ- ଏଁ ମୁଁ କଜିଆ କରୁଚି?ଗୋଟେ ଅନୁକୂଳରେ ବାହାରି ଥିଲି ଯେ ସକାଳୁ ଯାହା ତ କଲ କଲ, ମୋର ଫେରେ କାଇଲି ହେଲା?

 

ସ୍ତ୍ରୀଲୋକ- କ’ଣ ଭଲରେ ଭଲରେ ଯିବୁ ନା ନରିଆ ବାପକୁ ଡାକିବି?ଠେଙ୍ଗାକରେ ତୋ ଅନକୂଳ ଛଡ଼େଇ ଦେବ! କହିଲା ମାଉସି! ଘର, ଦୁଆର, ବାପର,ମାଆର ଠିକଣା ନାଇଁ, ମୁଁ ତୋର କି ଗାତ ଚୁଲି ମାଉସି ରେ?

 

ବାଟୋଇ- ହେ ମାଉସି, ମୁଁ ଭଲା କଣ କଲି ଯେ ତୁମେ ସକାଳୁଟାରୁ ମୋ ବାପ ଅଜା ଚୌଦପୁରୁଷର ପିଣ୍ଡ କାଢ଼ୁଚ କହିଲ?

 

ସ୍ତ୍ରୀଲୋକ- ନା, ମାଡ଼ ଆ ନିଲଠା ଯିଏ, ସିଏ କୋଉଠୁ ଭଲରେ ଯିବ! ଆହେ କୁଆଡ଼େ ଗଲ କିହେ, ଆସିବଟି ଟିକିଏ (ଡାକ ମାରି) ଏ ନିଆଁଶିଆ କିମିତି ଦାଣ୍ଡ ମଝିଟାରେ ମତେ ବେଜମାନ କରୁଚି! ଆସିବଟି ଟିକିଏ- (ନରିବାପ ଓରଫ ହରିର ପ୍ରବେଶ)

 

ବାଟୋଇ- ହଉ, ଆସନ୍ତୁ।

ହରି- (ଭିତରୁ କୁହାଟ ମାରି) ଆଲୋ କିଏ? (ଆସି) କଣ ହେଇଚି? (ଆଖି ତରାଟି)

ସ୍ତ୍ରୀଲୋକ- ଏ ଯୋଗନୀଖିଆ କଥାକୁ ଶୁଣ। ୟା ଘର କୋଉଠି, କୋଉଠିକାର କିଏ... ଦାଣ୍ଡକୁ ମୁଁ ଅଳିଆ ପକେଇ ଦଉଥିଲି ଏବେ ୟା ଉପରେ ପଡ଼ିଗଲା- ଏଇଥିପାଇଁ ମତେ ଯାବତ ଇଚ୍ଛା କରି କହୁଛି!

 

ହରି- କିହୋ, ସିଏ ତ ତାର ଅଳିଆ ପକଉଥିଲା, ତୁମେ ଯେବେ ଏ ବାଟରେ ଚାଲି ଯାଉଥିଲ ଟିକିଏ ଦେଖି ଚାହିଁ ଗଲନାଇଁ! ସେଥିରେ ଯେବେ ତମର ଲୋକସାନ ହୋଇଗଲା, ସେ ଲୋକସାନ ତୁମର! ତୁମେ ଭଦରଲୋକ ହୋଇଥିଲେ ଏ ମାଇକିନିଆଟା ସଂଗରେ ତୁଣ୍ଡ ହୁଡ଼ୁଥାନ୍ତ!

 

ବାଟୋଇ- ଆରେ ବାବୁ, ମୋର ତ ଲୋକସାନ ଯାହା ହେଲା ହେଲା, ସେଥିପାଇଁ ମୁଁ ତୁମକୁ କିଛି କହୁନାଇଁ ଯେ, ମୁଁ କହୁଛି ତୁମ ଲୋକସାନ ସକାଶେ!

 

ସ୍ତ୍ରୀଲୋକ- ହଇରେ ଚୁଲିପଶା ମୋ ଲୋକସାନ ପେଇଁ ତୁ ଏତେ ଭଲେଇ ହଉଛୁ! ଆହା, ମୋ ଲୋକସାନ ତତେ କେଡ଼େ ନ ବାଧିଚି ରେ ଯୋଗନୀଖିଆ!

 

ବାଟୋଇ- ଆଲୋ ମାଉସି, ତୁମେ ଯେବେ ତୁମର ପ୍ରକୃତ ଲୋକସାନ ହଉଚି ବୋଲି ଜାଣୁଥାନ୍ତ ମତେ କ’ଣ ଇମିତି ଶୋଧୁଥାନ୍ତ?

 

ହରି- ଏଁ, ଲୋକସାନ! ଆମର ଫେରେ କର ଲୋକସାନ ହେଲା!

ବାଟୋଇ- ଏ ଅଳିଆ ଗୁଡ଼ାକ।

ହରି- କ’ଣ କହିଲ?ଅଳିଆ ଗୁଡ଼ାକ ଲୋକସାନ ହେଲା?

ବାଟୋଇ- ହଁ ଏ ଅଳିଆ ଗୁଡ଼ାକ ସାଇତି ରଖିଲେ ତୁମର କେତେ କାମରେ ଆସନ୍ତା, ତୁମେ ତାକୁ ଇମିତି ଫୋପାଡ଼ି ଦଉଚ?

 

ସ୍ତ୍ରୀଲୋକ- ହଁରେ, ତୋ ମାଇପ ତାକୁ ସାଉତୁଥିବ!

ବାଟୋଇ- ହଁ ମାଉସି, ଆମେ ୟାକୁ ସାଇତି ରଖୁ। ବହୁତ କାମ ଦିଏ ଆମର!

ହରି- କାମ ଦିଏ! କି କାମ? (ଆଶ୍ଚର୍ଯ୍ୟାନ୍ୱିତ ହୋଇ)

ସ୍ତ୍ରୀଲୋକ- ହଁ, ହଁ, କାମରେ ଆସୁ ନ ଥିବ କ’ଣ?ଗେରସ୍ତ ଭାରିଯା ଅଂଶ ବଂଶ ସଭିଏଁ ଧୋଇ ଶୁଖେଇ ୟାକୁ ସବୁ ବର୍ଷସାରା ଖାଉଥିବେ! ପୋଡ଼ାମୁହାଁର କଥା ଶୁଣ!

 

ବାଟୋଇ- (ହସି ହସି) ଗାଳି ଗୁଡ଼ାକ ଛାଡ଼ିଦେଲେ, ମୋ କଥା ତୁମେ ଚଟ୍‌କରି ବୁଝିଯାନ୍ତ। ଅଳିଆକୁ ଆମେ ଖାଉନା ଯେ ହେଲେ ଏଇଥିରୁ ଆମ ଖାଇବା ଗଣ୍ଡାକର ଯୋଗାଡ଼ କରୁଁ।

 

ହରି- ଏଁ, ଅଳିଆରୁ?

ବାଟୋଇ- ହଁ, ଏଥିରେ ଆଶ୍ଚର୍ଯ୍ୟ ହବାର କ’ଣଅଛି?ଆମେ ଘରେ ଯୋଉ ଗାଈଟିଏ ରଖିଛୁ, ତାଠୁଁ ଟୋପିଏ ବେଶୀ କ୍ଷୀର ପାଇବାକୁ କେତେ ଯତନ ନ କରୁଛେ କହିଲ?କୁଣ୍ଡା, ତୋରାଣୀ, ଘାସ, ଦାନା ଇମିତି କେତେ କଥା ଖାଇବାକୁ ଦଉଛୁ। ସେମିତି ଯେଉଁ ମାଟିରୁ ଆମେ ଫସଲ ଉତାରିବା ତାକୁ ଖାଇବାକୁ ନ ଦେଲେ ଭଲ ଫସଲ ହବ କିମିତି?ଏଇ ଅଳିଆରୁ ମାଟିର ଖାଦ୍ୟ ତିଆରି ହୁଏ। ସାର ନ ଦେଲେ ସେର ପୂରିବ?

 

ହରି- କିହୋ! ତୁମେ କ’ଣ ଗୋଟେ ନୂଆ କଥା କହିଲଣି। ଆମେ କ’ଣ ଜମିବାଡ଼ି ଚଷୁନୁ! କିହୋ, ଜମିରେ ସିନା ଗୋବର କି ପିଡ଼ିଆ ଦିଆଯାଏ; ଏ ଝାଟୁଆ କିଏ କୋଉଠି ଜମିରେ ଦିଏ?ମାଲୁମ ପଡ଼ିଚି, ତୁମେ ବୋଧହୁଏ ବିଲ ମୁଣ୍ଡକୁ ଯାଇନ କି ଚାଷ କାମ କିମିତି ହୁଏ ଦେଖିନ!

 

ସ୍ତ୍ରୀଲୋକ- ବିଲ ମୁଣ୍ଡକୁ ଯିବା କଥାଟା ତା’ ବେଶ ପଟାରୁ ଜାଣିପାରୁ ନ ଯେ ପଚାରୁଚ?ଝାଟୁଆ ଟିକିଏ ଉପରେ ପଡ଼ିଗଲାରୁ ତ ଇଏ ଇମିତି ହଉଚି ଆଉ ଆଣ୍ଠୁଏ କାଦୁଅରେ ପଶି ଯାହା ବିଲ ଚଷୁଥିବ! ଦେଖୁନ, କଥାକୁ ଆଉ ଉତ୍ତର ନାଇଁ ବୋଲି କିମିତି ଆକୁପାକୁ ହଉଚି- ନିଆଁସିଆ କେଡ଼େ ଗାଲୁଆଟେ ବା!

 

ବାଟୋଇ- ଆଚ୍ଛା ମଉସା, ଗୋବର ଆଉ ପିଡ଼ିଆ କଥା ତ କହୁଚ, କେତେ ଲେଖେଁ ଦଉଚ?ଏଇତ ଜାଳିବା ପାଇଁ ଘସି ପାରିଚ ଯେ, ସବୁ ଗୋବର ସେଇବାଟେ ଯାଉଚି... ଆଉ ଜମିରେ କେତେ ଦଉଚ?ପିଡ଼ିଆ ତ ତୁମ ଘରେ ଆମଦାନି ହଉନି, ଗୋଦାମରୁ କିଣୁଥିବ। କେତେ ଟଙ୍କାର ପିଡ଼ିଆ କିଣି ଜମିରେ ଦଉଚ ସତ କହିଲ?

 

ହରି- ମତେ ପଇସା ନ ମିଳିଲା ମୁଁ ଏବେ ନ ପକେଇଲି, ହେଲେ ଜମିରେ ସାର ଦିଆ ହୁଏ ବୋଲି ମୁଁ କ’ଣ ଜାଣେନି?

 

ବାଟୋଇ- ଜାଣିଥିଲେ କ’ଣ ଦିଅନ୍ତ ନାଇଁକି?ପଇସାପତ୍ର ଖର୍ଚ୍ଚ ନ କରି ବି ଜମିରେ ଭଲ ସାର ଦେଇ ହେବ। ଆଚ୍ଛା; ଗାଈ ଗୋବରକୁ ତ ଘସି ପାରିଚ, ମଣିଷ ଗୋବର କ’ଣ କରୁଚ?ତାକୁତ ଆଉ ଘସି ପାରୁନ?

 

ସ୍ତ୍ରୀଲୋକ- ଛି, ଛି, ସକାଳୁ ଏ ମଣିଷଟା କି ଅସନା କଥାଗୁଡ଼େ ତୁଣ୍ଡରେ ଧରୁଚି ବା?

ବାଟୋଇ- ମାଉସି, ଇମିତି ନାକ ଟେକୁଚ କାହିଁକି ମ?ଯେଉଁ ଜିନିଷକୁ ତୁମେ ଅସନା ବୋଲି କହୁଚ, ସେ ସବୁ ଭଲ ସାର, ଠିକଣା କରି ସାଇତି ପାରିଲେ ଯାଇଁ ହବ।

 

ହରି- ଗୃହ ମୂତକୁ ପୁଣି ସାଇତିବୁ?ଘରେ ରହିବ ଟି?

ବାଟୋଇ- ଘରେ ରଖିବା କଥା କହୁଚି କିଏ?ୟାକୁ ସବୁ ବାଡ଼ିରେ ସାଇତିବ ନା!

ହରି- ଦି ଓଳି ସଫା ସୁତୁରା କରି ଘର ଓଳେଇ ମାଛିରେ ତ ବାକି ନାଇଁ। ଆଉ ତୁମ କଥା ମାନି ବାଡ଼ିରେ ଝାଡ଼ା ବସିଲେ କି ଗୁହ ମୂତ ସାଇତିଲେ ମାଛି ଆଉ ରଖେଇ ଦେବେ?

 

ସ୍ତ୍ରୀଲୋକ- କାଇଁ କି ସେ ଅଲଖିଣାଟା ସାଂଗରେ ବକ ବକ ହଉଚ ଯେ! ସେ ଆଉ ତା ମାଇପ ମାଛି-ବାରିଣୀ ଜାଣିଥିବେ।

 

ବାଟୋଇ- ହଁ ମାଉସି,- ମାଛି-ବାରିଣୀ ଆମେ ଜାଣିଚୁ ଯେ ସେଥିରେ ମନ୍ତ୍ର ଯନ୍ତ୍ର କିଛି ନାଇଁ; ହାତେ ହାତେ କାମ। ଛୁଆପିଲା ଦାଣ୍ଡରେ ଘାଟରେ ବାନ୍ତି କଲେ ମାଛି ତ ଆସି ବସିଯାନ୍ତି- ଆଚ୍ଛା, ତା ଉପରେ ମାଟି ମୁଠାଏ ପକାଇଦେଲେ ଆଉ ମାଛି ଆସି ବସିବେ?

 

ହରି- ଆରେ ସତ କଥା ତ! ମାଟି ଘୋଡ଼େଇ ଦେଲେ ମାଛି ତ ଆଉ ହୁଅନ୍ତି ନି। ତାହେଲେ ତୁମେ କଣ କହୁଛ, ୟା ଉପରେ ମାଟି ଘୋଡ଼େଇ ରଖିବୁ?ଏତେ ମାଟି କେଉଠୁଁ ଆସିବ?ବାଡ଼ିଯାକ କଣ ଗାତ ଖୋଳି ଖତ କରିବୁ?

 

ବାଟୋଇ- ଚାରିଆଡ଼େ କାଇଁକି ଗାତ ଖୋଳିବ?ଚଉକା କରି ଗୋଟିଏ ଗାତ ଖୋଳିଦେବ- ଘରର ଅଳିଆ ସବୁ ସେଥିରେ ପକେଇ ସେଇ ଖତ ମାଟି ତା ଉପରେ ଘୋଡ଼େଇ ଦବ।

 

ହରି- ବେଶ, ତା’ ହେଲେ ମଇଦାନଯିବା କଥା ଫେର୍‌କ’ଣ ହେବ?ଆମେ ତ ପୋଖରୀ ହୁଡ଼ା, ବିଲ କି ତୋଟା ଆଡ଼େ ଯାଇ...

 

ବାଟୋଇ- ନାଇଁ, ନାଇଁ, ସେମିତି ଗହୀରିଆ କରି ଗାତଟିଏ ଖୋଳି ଚାରିପାଖରେ ତାଟି ଘେରେଇ ସେଇଠି ଝାଡ଼ା ବସିବ; ସେଇ ମାଟି ମୁଠେ ମୁଠେ ପକେଇ ଦେବେ। ତେବେ ଦେଖିବ, କିମିତି ଖତ ତୁମେ ପାଇବ!

 

ହରି- ଆଚ୍ଛା, ନରିବୋଉ! ଆମ ବାଡିରେ ଗାତ ଖୋଳି ତୁ ଏ ଝାଟୁଆ ଗୁଡ଼ାକ ପକେଇଲେ ତ ମାଛି ଆଉ ହେବେ ନି। ଏଇ କଥାଟା ବାବୁ ଯାହା କହୁଚନ୍ତି ମୋ ମନକୁ ପାଉଚି ଏକା।

 

ସ୍ତ୍ରୀଲୋକ- ମାଟି ଘୋଡ଼େଇ ଦେଲେବା ମାଛି ନ ହେବେ, ତା’ ବୋଲି ଏ ଅଳିଆ ଘୁ-କଟା...ଏ ଗୁଡ଼ାକ ଜମିକି ସାର ହବ?

 

ବାଟୋଇ- ହବା ନ ହବା କଥାଟା ନ ବିଡ଼ିଲେ କେମିତି ଜାଣିବ କହିଲ?ମୋ କଥା ମାନ, ପରୀକ୍ଷା କର। ଭଲ ଖତ ଯଦି ହେଲା ସେଥିରେ ତୁମର ଲାଭ, ନ ହେଲେ ମାଛି ଦାଉରୁ ତ ରକ୍ଷା ମିଳିଲା-ଲାଭ ଛଡ଼ା ଲୋକସାନ ତ ତୁମର ଏଥିରେ କିଛି ନାଇଁ!

 

ହରି- ହେଲା, ଏଇ କଥାଟା କରିବାରେ ଆଉ କ୍ଷତି କଣ?ଚାଲିବୁଟି ନରିବୋଉ, ଦି’ଚାରିଟା ଗାତ ଖୋଳ....

 

କୁନିବୋଉ-(ଭିତରୁ) କଅଣ କି?

ବୈରାଗୀ- ହଇଏ, ଢାଳଟା ଟିକିଏ ଆଣିଲ!

କୁନିବୋଉ- (ଢାଳ ନେଇ ଆସିଲେ) ମଇଁଷି ଶିଙ୍ଗ ଫାଟି ଯାଉଚି, ଏଇ ଦୁମୁଦୁମିଆ ଖରାରେ ଯିବ ତ?ଏଇ ବାଡ଼ିରେ ଟିକିଏ ବନ୍ଦୋବସ୍ତ କରି ଦେଇଥିଲେ.... (ଢାଳଟାକୁ ତଳେ ରଖି) ନା ଲୋ ମା, ମୋ କଥା ଗୁରାକ ତ କଥା ନୁହେଁ- (ଫେରି ଯାଉଥିଲେ)

 

ବୈରାଗୀ- ତମ କଥା ଗୁଡ଼ାକ କଥା ନୁହେଁ ବୋଲି କିଏ କହିଲା?କ’ଣ ତୁମେ କହୁଚ?

କୁନିବୋଉ- କ’ଣଟେ ଆଉ କହିବ ମ?କେତେଥର ତୁମକୁ କହିଲିଣି ଆମ ବାଡ଼ିରେ ଗୋଟେ ଗାତ ଖୋଳିଦେଇ ଘେରଟେ ଦେଇଦେଲେ ହୁଅନ୍ତା ନି?ମୋ କଥା ତୁମେ ଶୁଣୁଚ! ତୁମକୁ ତ ଖରାରେ ଦୌଡ଼ିବା ଯୋଗ!

 

ବୈରାଗୀ- (ଥଟ୍ଟାରେ) କଟକରେ ପୁଅ ପାଖରେ ଦିନ କେଇଟା ରହି ପାଇଖାନା ଅଭ୍ୟାସ ହୋଇ ଯାଇଚି ପରା! ଆରେ ବାବା, ସିଏ ସିନା ସହର ବଜାର ଯେ ଯାଗା ଅଭାବରୁ ସେଠିକା ଚଳଣି ସେମିତିକା। ଆମର ତ ମଫସଲ କଥା, ପୋଖରୀହୁଡ଼ା ବିଲ ବାରି, ତୋଟା ପଡ଼ିଚି। ଯାଗା କଣ ଏଠି ଅଭାବ ଯେ ଜଣକ ପଛକୁ ଜଣେ ଲାଗିଥିବେ। ମନଇଚ୍ଛା ଖୋଲା ପଡ଼ିଆ ପଡ଼ିଚି ଯେତେ ଜଣ ଯିବ ଯାଅ, ଯେତେବାର ଯିବ ଯାଅ।-

 

କୁନିବୋଉ- ହଁ, ତୁମରି କଥାଟାକୁ ତୁମେ ଭଲ କରି ଜାଣିଚ। ଆଉ କାହା କଥା ବୁଝୁଚ ନା?ତୁମକୁ ସିନା କିଛି ଅସୁବିଧା ନାଇଁ ଯେ ଢାଳ ଗାମୁଛା ଧରି ଯେତେବେଳେ ଯେତେବେଳେ ପଡ଼ିଆ ବାରିକି ଚାଲି ଯାଉଚ, ଝୁଅ ବୋହୂ କରନ୍ତି କ’ଣ?ତାଙ୍କର ଆଉ ଅକାଳ ସକାଳ ନାଇଁ; ସେଇ ସଞ୍ଜ! ରାତି ଘଡ଼ିଏ ହବ, ଲୋକ ଗହଳି କମିବ, ଲଣ୍ଠନଟା ନେଇ ସାଥିରେ ମୁଁ ଯିବି-

 

ବୈରାଗୀ- ତା ବୋଲି ତୁମେ କହୁଚ ଏଠି ପାଇଖାନାଟା କରିଦେବି! ଯେତେବେଳେ ପାର ସେତେବେଳେ ସମସ୍ତେ ଯିବ! ବାଡ଼ିଟାରେ- ଯେତିକିର ମୁଣ୍ଡ, ସେତିକିର କଥା! ଆରେ ବାବୁ, ସେଠି ସହର ବଜାରରେ ସିନା ମେହେନ୍ତର ଅଛନ୍ତି, ସଫା କରୁଛନ୍ତି, ଏଠି ତୁମ ପାଇଖାନା ସଫା କରିବ କିଏ?

 

କୁନିବୋଉ- ମଲା, ସଫା କାଇଁକି କିଏ କରିବ ମ?ଏଇଠି ତୁମ ପଡ଼ିଶା ଘରେ କ’ଣ ହଉଚି ଦେଖୁନ!

ବୈରାଗୀ- ସେଇୟା ବୋଉ, ସେ ଚଣ୍ଡାଳ ହରିଆ ତାହେଲେ ତୁମ ମୁଣ୍ଡରେ ଏ ବୁଦ୍ଧି ପୁରେଇଚି। ହଇହୋ,କୁନିବୋଉ, ସେ ହରିଆଟା ଖାଲି ପଇତାଟେ ପକେଇଚି ସିନା, ନ ହେଲେ ସେଇଟା କ’ଣ ଆଉ ବ୍ରାହ୍ମଣ ହେଇ ଅଛି! ସେଇଟା ପରା ହାଡ଼ିଠଉଁ ବଳି!

 

କୁନିବୋଉ- ମଲା, ହରି କାଇଁକି ହାଡ଼ି ହବ ମ?

ବୈରାଗୀ- ଆଉ କ’ଣ ସେ ବ୍ରାହ୍ମଣ?ଯା’ଘରେ ଠାକୁର ଅଛି ସିଏ ଏଇ ଅସନା ଦୁର୍ଗନ୍ଧ ଘର ପାଖରେ ରଖିବ।

 

କୁନିବୋଉ- ଗନ୍ଧ କାଇଁକି ହବ ବା?କାଲି ହରି ଭାରିଯା ସାଙ୍ଗରେ ମୁଁ ତାଙ୍କ ପାଇଖାନା ପାଖରେ ଠିଆ ହୋଇ କଥାଭାଷା ହଉଥିଲି, କାଇଁ ଟିକିଏ ଗନ୍ଧ ତ ନାକରେ ବାଜିଲାନି?

 

ବୈରାଗୀ- ପାଇଖାନା ହେଇଚି, ସଫାସୁତୁରା ହଉନି, ପୁଣି ଗନ୍ଧ ନାଇଁ?ଆହେ, ତୁମକୁ ସର୍ଦ୍ଦି ହୋଇଥିବ।

କୁନିବୋଉ- ହଉ, ମତେ ସିନା ସର୍ଦ୍ଦି ହୋଇଥିବ, ତୁମକୁ ତ ସର୍ଦ୍ଦି ହେଇନି, ଆସିଲ ନିଜେ ଦେଖିବ?

 

ବୈରାଗୀ- ସବୁ ଶୁଣୁନି ଯେ ଆଉ ଦେଖିବାକୁ ଯିବି?ବାସୁଆ କହୁଥିଲା, ସେଇ ଖାତରୁ ବାବୁ ବିଷ୍ଠା ସବୁ ବହିନେଇ ବାଡ଼ିରେ ଯୋଉ କୋବି ଲଗାଇଚନ୍ତି ସେଥିରେ ଦଉଚନ୍ତି। କିଏ ତାକୁ ବତେଇଚି, ଭାରି ବଡ଼ ବଡ଼ କୋବି ହବ।

 

କୁନିବୋଉ- ହେଲା, ଏଥିରେ ଖରାପ କଥାଟା କ’ଣ ଅଛି?ଇମିତିକା ପାଇଖାନା କରିବା ତ ଖୁବ୍‌ଭଲ। ଇଆଡ଼େ ଲାଜ ସରମକୁ ଲାଜ ସରମ ରହିଲା, ସିଆଡ଼େ ବାଡ଼ିରେ ଫଳମୂଳ ବି ଭଲ ହେଲା। ଏଥିରେ ତ ଲାଭ ଛଡ଼ା ଲୋକସାନ ନାଇଁ।

 

ବୈରାଗୀ- ହଁ ଭଲ ନୁହେଁ ଆଉ କ’ଣ?ସେ ଯୋଉ ବିଷ୍ଠା କୋବି ହବ ତ ହରିଆ ତ ଖାଇବ, ତୁମେ ବି ଟିକିଏ ଖାଇବ ଯେ ତୁମ ଚୌଦ୍ଦପୁରୁଷ ଉଦ୍ଧାର ହୋଇଯିବେ। କାଇଁକି ବ୍ରାହ୍ମଣ କୁଳରେ ତୁମେ ସବୁ ଜନ୍ମ ହଉଥିଲ କେଜାଣି! ଦିଅ, ଦିଅ, ଯେତେ ସବୁ ବାଜେ କଥା! (ଢାଳଟାକୁ ଛଡ଼ାଇ ନେଇ ଚାଲିଗଲେ)

 

କୁନିବୋଉ- ଯାହା ବୁଝିଥିବ ତ ସେଇଆ! ହେଲା, ତୁମକୁ ଯଦି ଖରାତରାରେ ଦିନରେ ତିନିଥର ପଡ଼ିଆବାରିକି ଦୌଡ଼ିବାକୁ ସୁଖ ନାଗୁଚି, ଯାଅ- କାହାର କ’ଣ ଅଛି?

 

ଦ୍ୱିତୀୟ ଦୃଶ୍ୟ

(ହରିର ବାଡ଼ି। ବାହାରୁ କେବଳ କଞ୍ଚା ବାଡ଼ଟି ଦେଖା ଯାଉଛି। ଧଡ଼ାଟିଏ ଲାଗିଛି। ବାଡ଼ି ଭିତରେ ପନିପରିବା ଫସଲ ହୋଇଛି। ବିଶେଷତଃ କୋବି ଫସଲ ଖୁବ୍‌ଭଲ ହୋଇଛି। ପରଦା ଉଠିଲା ପରେ ଦେଖାଗଲା ସେ ବାଡ଼ି ଭିତରେ ହରି ଓ ତାର ସ୍ତ୍ରୀ କାମଦାମ କରୁଛନ୍ତି।)

 

ହରି- ସେପଟୁ ଦାଆଟା ଦେଲୁ, ଏ କୋବିଗୁଡ଼ାକ କାଟି ପକେଇବା। (ହରିର ସ୍ତ୍ରୀ ଦାଆ ଆଣି ହାତକୁ ବଢ଼ାଇ ଦେଲା)

 

ସ୍ତ୍ରୀ- ହଁ, ଯୋଉଗୁଡ଼ାକ ହେଇଗଲାଣି କାଟି ଦିଅ। ଆମର ତ ଘରେ ଦି ଓଳି ଚଳୁଚି, ଆଉ କେଇଟା ରହିବ, ତାକୁ ନବାକୁ ଲୋକ ଯେମିତି ହଉଚନ୍ତି, କିଏ କୁଆଡ଼େ ନେଇଯିବେ।

 

ହରି- (କୋବି ହାତକୁ ଦେବା) ନେ, ଦେଖିଲୁ ଏ କୋବି ବେଶୀ ଓଜନ ନା ତୋ ଝାଟୁଆ ଟୋକେଇ ବେଶୀ ଓଜନ?

 

ସ୍ତ୍ରୀ- ମ, କେତେଥର ସେଇ କଥାକୁ ଖୁଣ୍ଟା ଦଉଚ ମ?ମୁଁ କ’ଣ ଜାଣି ଜାଣି ତା’ ଉପରେ ଝାଟୁଆ ପକେଇ ଥିଲି! ଯୋଗ ଭୋଗ କଥା-

 

ହରି- ହଁ ଯୋଗକୁ ସେ ଏବାଟେ ନ ଆସେ କି ତୁ ତା’ ଉପରେ ଝାଟୁଆ ଟୋକେଇ ନ ଓଜାଡ଼ ନା ଏ ବଡ଼ ବଡ଼ କୋବି ଫସଲ ଆମ ବାରିରେହୁଏ। କି କଥା, ନିଆଁସିଆ, ଚୁଲିପଶା-ବିଚରାକୁ କମ୍‌ଗାଳି ଦେଇଚୁ-! ଏ ସେଇ ନିଆଁସିଆ କୋବି।

 

ସ୍ତ୍ରୀ- ସତ କଥା, ଏତେ ଝିଙ୍ଘାସି କଇଲି, ବିଚରା ଟିକିଏ ତୁଣ୍ଡ ହୁଡ଼ିଚି?ଓଲଟି ଆମର କେତେ ଉପୁଗାର କଲା। ଆଉ କିଏ ହୋଇଥିଲେ କେତେ ପାଲା ନାଗିଥାନ୍ତା!

 

ହରି- ଆଲୋ, ସେ ପରା ଭଦରଲୋକ। ଭଲ ଲୋକଙ୍କ କଥା ସେମିତିକା।

ସ୍ତ୍ରୀ- ସେଦିନ ପଛରେ ମୁଁ କଣ କମ୍‌ହାଂପି ସାଂପି ହେଇଚି! ମୁଁ କଣ କରିବି; ଯୋଗ ତ ସେଇଆ!

ହରି- ଆମ ଆଖି ଫିଟେଇ ଦେଇଗଲା ସେ- ନାଇଁତ ବାର ବର୍ଷରେ ପରିବା ଆମ ତୁଣ୍ଡରେ ବାଜି ନ ଥାନ୍ତା- ଆଉ ଏ କୋବି କିଏ ଆମେ କିଏ?

 

(କୁନିବୋଉର ପ୍ରବେଶ)

କୁନିବୋଉ- (ଧଡ଼ା ପାଖକୁ ଆସି) ମଲା, ଦି’ ପରାଣୀ ଯାକତ ଏଇଠି। ମୁଁ ଘରଆଡ଼େ ଖୋଜୁଚି!

ସ୍ତ୍ରୀ- କିଏ ଆଈ! ଆସ, ଆସ। ୟାଡ଼କୁ ଆସୁନା। ଏତେ ସକାଳୁ କୁଆଡ଼େ ମ ଆଜି?

କୁନିବୋଉ- (ଧଡ଼ାବାଟେ ବାଡ଼ି ଭିତରକୁ ଯାଇ) ନାଇଁ; ବେଳାବେଳି ଗଣ୍ଡାଏ ରୋଷେଇ ହେଲେ ପୁଅ କଟକ ଯିବ ଯେ ଚାଲି ଆଇଲି ଦି’ଟା କୋବି ନବାକୁ।

 

ହରି- ସେଇଠି ଥୋଇଚି, ତୁମ ହାତରେ ବାଛି ନେଇଯାଅ ଆଈ, ଯାହାକୁ ଖୁସି ପାଉଚ ନିଅ। (କୁନିବୋଉ ନଇଁପଡ଼ି କୋବି ଦେଖିଲା) ହଁ, ହୁସିଆର ଆଈ, ଦେଖି ଚାହିଁ ନିଅ- ନ ହେଲେ ବେଶୀ ଓଜନିଆ ହେଲେ ବୁଢ଼ୀ ମଣିଷ, ଝୁଣ୍ଟି ପଡ଼ିବୁଟି!

 

ହରି ସ୍ତ୍ରୀ- (ହସି ହସି) ବୁଢ଼ୀ ମଣିଷ, ସେ କ’ଣ ନେଇ ପାରିବେ?ତୁମେ ନିଜେ ନେଇ ଦେଇ ଆସୁନା।

ହରି- ହେଲା, ମୁଁ କ’ଣ ମନା କରୁଚି! ଏଇ ଦି’ଟାତ- ଚାଲ, ମୁଁ ପହଞ୍ଚେଇ ଦେବି। (ଦୁଇଟି କୋବି ଉଠାଇ)

କୁନିବୋଉ- ନବା ଥା ମତେ ବଳେଇ ଯିବନି ଯେ। ତୁ ଆଗ କହିବୁଟି ହରି, ଏ ଦି’ଟାକୁ କେତେ ଦେବି?

 

ହରି ସ୍ତ୍ରୀ- କକେଇ କଟକରୁ ଦିନକ ପାଇଁ ଆସିଚନ୍ତି। କୋବି ତିଅଣ ଟିକେ ଖାଇ ଯିବେ ଯେ ଏଥିପାଇଁ ଗୋଟେ ଦରଦାମ ପଡ଼ିଚି। ତୁମେ ସେମିତି ନେଇଗଲ।

 

କୁନିବୋଉ- ମଲାମୋର, ସବୁବେଳେ କ’ଣ ଏମିତି ନେଉଥିବି। ସେ ଦିନ ନ ଆଦରି ତୋଳିଲ ଯେ ଦି’ଟା ପଠେଇ ଦେଲ- କୁଣିଆ ମଇତ୍ର ଆସିଲେ କି ଭଲମନ୍ଦରେ ଦି’ଟା ଗୋଟେ ବରାବର ଦଉଚ- ସବୁବେଳେ କ’ଣ ସେଇୟା ଚାଲିଥିବ। ନାଇଁ, ନାତୁଣୀବୋହୂ, କେତେ ପଇସା ନ କହିଲେ ମୁଁ ଏ କୋବି ଯମାରୁ ନେବିନାଇଁ।

 

ହରି- ହଉ, ତୁମେ କୋବି ନିଅ, ରନ୍ଧାବଢ଼ା କର ଦବାବେଳ ତ ଅଛି, ଯାହା ଖୁସି ହବ ଦେଇଯିବ, ଆଉ କ’ଣ?

 

କୁନିବୋଉ- ହଉ ବାପ, ହଉ! (ଖୁସିହୋଇ କୋବି ଦିଟାକୁ ଧରି ବାହାରି ଆସିବା ବେଳେ ଅନ୍ତରାଳରେ ବୈରାଗୀ ଆସୁଥିବାର ଦେଖିଲେ) ମଲା, ଇଏ କଣ ଇୟାଡ଼େ ଆସୁଛନ୍ତି-ଧରିବୁଟି ବୋହୂ, ବାଡ଼ମୂଳକୁ କୋବି ଦିଟାକୁ ଥୋଇ ଦବୁଟି, ତାଙ୍କ ଆଖି ପଡ଼ିଲେ ଫେର୍‌....

 

(କହିବ ସାଂଗେ ସାଂଗେ କୋବିକୁ ବୈରାଗୀ ଆସିବା ଆଗରୁ ଲୁଚାଇ ଦିଆଗଲା। ବୈରାଗୀ ପ୍ରବେଶ କଲେ)

 

ବୈରାଗୀ- (କୁନିବୋଉ ପ୍ରତି) କିହୋ, ଧଡ଼ିଆ ପରା ବେଳାବେଳି କଟକ ଯିବ। ରୋଷେଇବାସ ଛାଡ଼ି ତୁମେ କ’ଣ ଇଆଡ଼େ ଆସି ବୁଲୁଚ?କ’ଣ ତାକୁ ମଟର ଫେଲ୍‌କରାଇବ କି?

 

କୁନିବୋଉ- ରୋଷେଇ କଲାବାଲା ରୋଷେଇ କରୁଚନ୍ତି, ମୁଁ କ’ଣ କରେ ଯେ ମୋ ଲାଗି ମଟର.....

ବୈରାଗୀ- କଥାକ ତ ଉତ୍ତର ସାଂଗେ ସାଂଗେ। କିଛି ଯଦି ପଚାରିଲ, ଆଉ ଯାଉଚ କୁଆଡ଼େ। କିଓ, ତୁମେ ସିନା ନିଜେ କରିବନି। ଛୁଆଗୁଡ଼ା କ’ଣ କରୁଚନ୍ତି ସେ କଥା ବୁଝିବନି?

 

କୁନିବୋଉ- ଯିଏ ବୁଝିବା କଥା ବୁଝୁଚି। ତୁମେ ତୁମ କାମରେ ଗଲ-

ହରି- (ବାଡ଼ି ଭିତରୁ) ଆହେ ଅଜା, ଆସ-ଦେଖିବ ଆସ, କିମିତି କୋବି ସବୁ ବାଡ଼ିରେ ହେଇଚି ଦେଖିବ ଆସ!

 

ବୈରାଗୀ- ହେଃ, ହେଃ, ବିଷ୍ଠାଗୁଡ଼ାକ, ତା ଭିତରକୁ ବୈରାଗୀ ମିଶ୍ର ଯିବ?ପଇତା ମାରା ହେବ। ହଁ, ହଁ, ତୋ ବାଡ଼ି ତ ମୁଁ ଏଇଠୁ ଦେଖୁଚି। ହଇରେ ହରି, ଏ କୋବି ସବୁ ତୁ ଖାଉଚୁଟି?

 

ହରି- (ହସି) ନାଇଁ ଅଜା, ସବୁଗୁଡ଼ାକ କିମିତି ଖାଇବି! ଦି’ଓଳି ଯାହା ତରକାରୀପତ୍ର ହଉଚି, -ବାକି ଯିଏ ଯେମିତି ନେଇ ଯାଉଛନ୍ତି-କିଛି ବିକିରି ବଟା ବି ହଉଚି।

 

ବୈରାଗୀ- ଏଁ! ଲୋକେ ୟାକୁ ଫେରେ ପଇସା ଦେଇ ଖାଉଚନ୍ତି?ହଇରେ, ୟେ ବିଷ୍ଠା କୋବି ବୋଲି ଜାଣନ୍ତି ଟି?

 

(ଏତିକିବେଳେ ହରି ସ୍ତ୍ରୀ ଓ କୁନିବୋଉ ଠରାଠରି ହେଲେ। ଏମାନଙ୍କ ଠେଲାଠେଲିକୁ ଚାହିଁ ହରି ହସୁଥାଏ ଓ ବୁଢ଼ା ସାଙ୍ଗରେ କଥାବାର୍ତ୍ତା କରୁଥାଏ)

 

ହଇରେ ଆଳୁ ସବୁ କିଏ ଖାଉଚି?

କୁନିବୋଉ- ଭଲା ମଣିଷ, ତମକୁ ତ ବାଡ଼ି ଭିତରକୁ ଡାକିଲା ଯେ ତୁମେ ତୁମର ପଇତା ମାରା ହବ ବୋଲି ବାହାରେ ରହିଲ, କିଏ କେତେ ଖାଉଚି, କେମିତି ଖାଉଚି, ସେ ଜମା ଖରଚରେ ତୁମର କ’ଣ ଦରକାର। ତମେ ତ ବାଟରେ ଗଲା ଲୋକ ଦେଖିଲ ଚାଲିଯିବ।

 

ବୈରାଗୀ- ମଲା, ଟିକିଏ ଜାଣିବା ନାଇଁ ଆମ ଗାଁ ଭିତରେ ଏ ବିଷ୍ଠା କୋବି ଭକ୍ତ କେତେଜଣ ହେଲେଣି?ଗୋଟେ କିଛି ବ୍ୟବସ୍ଥା ତ ପୁଣି କରିବାକୁ ହେବ। ଏ ବ୍ରାହ୍ମଣ ଶାସନରେ କ’ଣ ଖାଲି ବିଷ୍ଠାର କାରବାର ଚାଲିଥିବ! ଓଃ କି ଗ୍ରାହାଚାର! ହରିଆ! ତୁ ପୋଡ଼ାମୁହାଁ ଏ ଜଗନ୍ନାଥପୁର ଶାସନକୁ ଏକଦମ୍‌ପୋଡ଼ିଦେବୁ।

 

ହରି- ଆଚ୍ଛା ଅଜା, ଏ ଯେ ‘ବିଷ୍ଠା କୋବି’ ‘ବିଷ୍ଠା କୋବି’ ବୋଲି ହଉଚ, ଦେଖିଲ, ବିଷ୍ଠା କୋଉଥିରେ ଲାଗିଛି? (ଗୋଟାଏ କୋବି ଆଣିବା)

 

ବୈରାଗୀ- ରହ, ରହ, ସେ ଗୁଡ଼ାକ ମତେ- (କହି ଘୁଞ୍ଚି ଆସିଲେ) ଇତ୍ୟବସରେ କୁନିବୋଉ ବୁଢ଼ାଙ୍କ ପଛପଟେ ଚାଲି ଯାଉଥିଲେ। ଯିବା ସମୟରେ ହରି ସ୍ତ୍ରୀ କୋବି ଦୁଇଟିକୁ ତାଙ୍କ ହାତରେ ଧରାଇ ଦେଉଥିଲେ, ବୁଢ଼ାଙ୍କ ଦୃଷ୍ଟି ପଡ଼ିଲା।)

 

ବୈରାଗୀ- କିଓ, କୁନିବୋଉ, ସେ....ସେ... କ’ଣ?

କୁନିବୋଉ- କଅଣ?କାଇଁ-କଣ?

ବୈରାଗୀ- ହାତରେ କଣ ନଉଚ?

ହରି- କୋବି ଦିଟା ନଉଚନ୍ତି, ଦେଖୁଚ ତ ଆଉ ପଚାରୁଚ କ’ଣ?

ବୈରାଗୀ- କିଓ, ସେ ବିଷ୍ଠା କୋବି ଗୁଡ଼ା....

 

କୁନିବୋଉ- ଏଁ ଜମା ଯେମିତି ପାଟିରେ ବାଜି ନ ଥିବ। ଥରକୁ ତ ତିନିଥର ମାଗି ଖାଉଚ। (ହରି ଓ ତାର ସ୍ତ୍ରୀ ହସୁଥିଲେ)

 

ବୈରାଗୀ- ଏଁ, ସେ ବିଷ୍ଠା କୋବି ମୁଁ ଖାଏଁ?

ହରି- ଆଈ ତ ନିତି ଆସି ଏଠୁ କୋବି ନେଇଯାନ୍ତି। ମୁଁ ଭାବିଥିଲି ସେମାନେ ତାଙ୍କର ଖାଉଥିବେ, ତମକୁ ଅବା ଅଲଗା ତିଅଣ କରି ଦଉଥିବେ- ସେଇକଥା ଆଈକି ପଚାରିବି ପଚାରିବି ବୋଲି....

 

ବୈରାଗୀ- ଓଃ କି ଗ୍ରାହାଚାର କଥା ଇଏ?ହଇହୋ, ତୁମେ ମତେ ବିଷ୍ଠା କୋବି ଖୁଆଇ ସାରିଲଣି? (କାବା ହୋଇ)

 

କୁନିବୋଉ- ମଲାମୋର, ଗାଁଟା ସାରା ସମସ୍ତେ ଖାଉଚନ୍ତି ନା ତୁମେ ଏକେଲା ଖାଉଚ?

ହରି- ଅଜା, ତୁମେ ସିନା ଖତ କୋବି ବୋଲି ନାକ ଟେକୁଚ, ନାଇଁତ ଖତ ନ ଦେଲେ କୋଉ ଫସଲଟା ଭଲ ହଉଚି କହିଲ?ଆଜି ସିନା ଆମ ଗାଁରେ ତାଟି ପାଇଖାନା କଲେଣି, ନ ହେଲେ ସମସ୍ତେ ତ ସେଇ ବିଲ ବାରିରେ ଝାଡ଼ା ବସୁଥିଲେ। ଆଉ ସେ ବିଲରୁ ଧାନ ଆଣି ତୁମେ ଖାଉଥିଲ। ଖାଉ ନ ଥିଲ?ହାଟରୁ ଯୋଉ ପରିବା କିଣି ଆଣୁଚ, ସେଥିରେ କ’ଣ ଏଇ ଖତ ଦିଆ ହେଇନି?ସବୁ ତୁମେ ମନର ବିକାର। ମନ ଭିତରେ ଖରାପ ଧାରଣା ଅଛି ବୋଲି ତୁମକୁ କୋବି ଗନ୍ଧାଉଚି, ନ ହେଲେ ଅଜଣା ହେଇ ଯେତେଥର ତିଅଣ ଖାଇଚ, ସବୁଥର ତୁମକୁ ସୁଆଦିଆ ଲାଗିଚି ଆଉ ସବୁ ଥରକୁ ତିନିଥର ମାଗି ଖାଇଚ।

 

ବୈରାଗୀ- ଏଃ, ରାମ୍‌ରାମ୍‌। କି କାଳ ହେଲା ୟେ। ଯାହା କଲ କଲ; ଶେଷକୁ ମୋତେ ଖୋଇଲ?

ହରି- କୋବି ନେଇଯା ଆଈ, ଭଲ ରକମ ରନ୍ଧାରନ୍ଧି କର। ଅଜାଣତରେ ଖାଇଚନ୍ତି, ଜାଣିକରି ଖାଇଲେ ବି କୋବି ତିଅଣ କିଛି ଖରାପ ଲାଗିବ ନି। ଦେଶ ଦୁନିଆରେ ସମସ୍ତେ ଯାହା ଖାଉଚନ୍ତି, ଆମେ ତାକୁ ନ ଖାଇଲେ ଚଳିବା କିମିତି? ଯା ବା ଆଈ, ତୁ ଯା-

 

କୁନିବୋଉ- ହଁରେ ପୁଅ ମୁଁ ଯାଉଚି। (ପ୍ରସ୍ଥାନ)

ବୈରାଗୀ- ଯାଉଛି, ହେଃ! ‘‘ସ୍ୱଭାବେ ସ୍ତୀରି ଜନ୍ମ ହୋଇ, ଧର୍ମ ଅଧର୍ମ ନ ଜାଣଇଁ!’’ ଦେଖ ହରି! ଏ କଥା ଗୁଡ଼ାକ ଭଲ ହଉନି। ତୁମେ ଏବେ ଟୋକାଟାକଳିଆ ତମ ଯୁଗରେ ଯାହା କଲ କଲ, ଆମକୁ ଏ ମହାପାପ ଭିତରେ ଘାଣ୍ଟୁଚ? ହଇଓ, ନାତୁଣୀ ବୋହୂ। ତମ ହାତକୁ ପରା ବଡ଼ବଡ଼ୁଆ ଚାହିଁ ରହିଚନ୍ତି। ତମେ ବି ଏ ହରିଆଟା ବୁଦ୍ଧିରେ ପଡ଼ି ଏଇ କୋବି ଖାଇଲ?

 

ହରି- ଆଚ୍ଛା ଅଜା, ଖାଲି ଯେ ମହାପାପ, ମହାପାପ ହଉଚ, କହିଲ ଏଥିରେ କୋଉଟା ପାପ?ତମ ଭଳି ବିଲବାଡ଼ି ଚାରିଆଡ଼କୁ ଝାଡ଼ା ନ ଯାଇ ଗୋଟାଏ ପାଇଖାନାକୁ ଝାଡ଼ା ଯିବାଟା ପାପ ନା ସେଇ ମଳକୁ ସାର କରି ବ୍ୟବହାର କରିବା ପାପ ନା ସେଇ ସାରରୁ ଯେଉଁ ଫଳ ଆମଦାନୀ ହେଲା, ତାକୁ ଖାଇଲେ ପାପ? (ଟିକିଏ ନିରବତା ପରେ) ବୁଝିଲ ଅଜା, ଯେଉଁ କାମ କଲେ ନିଜର କି ଆଉ କାହାର କ୍ଷତି ହେବ ସେଇଟା ପାପ ବୋଲି ପୁରାଣ ଆମକୁ କହିଚି। ମୁଁ ଯେ ଖାତ ପାଇଖାନା ବ୍ୟବହାର କରୁଚି ତା ଫଳରେ ବାଟ ଘାଟ ଦୁର୍ଗନ୍ଧ ହଉନି କି ମାଛି ହଉ ନାହାନ୍ତି। ଏଥିରେ କୋଉ ପାପଟା ରହିଲା?ଆଉ ତାକୁଇ ସାର କରି ଭଲ ଫସଲ ଆମଦାନୀ କରିବାରେ ବି କାହାରି କ୍ଷତି ନ ହୋଇ ମୋର ଦି’ପଇସା ଲାଭ ହେଲା, ୟେତ କିଛି ପାପ କଥା ନୁହେଁ। ତା ଛଡ଼ା ଏ ଯେଉଁ କୋବି ପାଇଲି ଗରିବ ମଣିଷ ଗଣ୍ଡାଏ ଭଲ ଖାଇବା ସାଙ୍ଗେ ସାଙ୍ଗେ ଦେହକୁ ବି ତାକତ ଦେଲା। କହିବଟି ଅଜା, ଏତିକିଟା କଥାରୁ କୋଉ କଥାଟା ପାପ? (ଦୃଢ଼ଭାବରେ କହିବା)

 

ବୈରାଗୀ- ହଁ ଖାଇବାରେ ଆଉ ପାପ କ’ଣ?ଦେହକୁ ଅବଶ୍ୟ କାମ ଦଉଚି, ହଁ, ‘‘ଆତ୍ମା କୁଶଳେ ସର୍ବ ସିଦ୍ଧି, ଜାଣିବ ଏହା ମହାବିଧି!’’ ସବୁ ହେଲାଯେ ତେବେ...

 

ହରି- ତେବେ ଆଉ କ’ଣ?ପାଇଖାନା କଥାଟା ତ କହିବ। ଖରାରେ ତରାରେ ପାଏ ବାଟ ଚାଲି ଚାଲି ଯୋଉଠି ସେଇଠି ଝାଡ଼ା ବସିବାଠୁଁ ପାଇଖାନାଟେ କରିବା କ’ଣ ଭଲ ନୁହେଁ?ଝୁଅ ବୋହୂଙ୍କ ମାନ ଇଜ୍ଜତ ରହିଲା, ତା ସଙ୍ଗେ ସଙ୍ଗେ ତମର ବି ସୁବିଧା ହେଲା। କଟକ ଗଲେ ପାଇଖାନାକୁ ତ ପୁଣି ଯାଉଥିବ?

 

ବୈରାଗୀ- ନାଁ, ମୁଁ ପାଇଖାନା କଥା କହୁନି ଯେ, ତେବେ....

ହରି- ତେବେ ସେଇକଥାକୁ ଆଣି କୋବି ମୂଳରେ ଦବା କଥାଟାକୁ ନାକ ଟେକୁଚ, ନୁହେଁ ଅଜା?

ବୈରାଗୀ- ଏଇ କଥା ଗୁଡ଼ାକ ବ୍ରାହ୍ମଣ ହେଇ କିଏ କରିବ କହିଲୁ ହରି?

ହରି- ବୁଝିଲ ଅଜା, ସଭିଏ କରନ୍ତି। ପାଣ ବ୍ରାହ୍ମଣ କଥା ଏଥିରେ କ’ଣ ଅଛି?ଆମେ ଯେଉଁ ଖାତ ଗାଡ଼ରୁ ଖତ ନେଇ ଜମିରେ ଦେଉଁ ସେଥିରେ ଛୁଆଙ୍କ ଗୁହ ମୁତ, ଜାବତ ଅସନା ଜିନିଷ ତ ପଡ଼ିଥାଏ... କାଇଁ, ସେତେବେଳକୁତ କିଛି ଓଜର ଆପତ୍ତି ନ ଥାଏ! ଗନ୍ଧ ହେଉଥିଲେ ବି ତାକୁ ନେଇ ଜମିରେ ଦିଅ, କାରଣ ତା’ ନ ହେଲେ ଧାନ ମୋଟେ ଫଳିବନି ଯେ-! ଥରେ ଦି’ଥର ଏଇ ବିଷ୍ଠା ଖତ ବ୍ୟବହାର କରି ଲାଭ ପାଇଲେ ତମର ଆଉ ତେଣିକି ଓଜର ଆପତ୍ତି ରହିବନି ଯେ! ଆଜି ପାଇଁ ତମ ବାରିରେ ଗୋଟେ ପାଇଖାନା କରି ଦବଟି ଅଜା।

 

ବୈରାଗୀ- ହଁ ହେ, ମାଇପେ ନଗେଇଚନ୍ତି, ଗୋଟେ କରିଦେଲେ ଯିବ।

ହରି- ବାଃ ଅଜା ବାଃ! କୋବି ତ ଖାଇଲଣି, ପାଇଖାନା ତ କରିବ କହିଲଣି- ଆଉ ସାର କଥାଟା କିଛି ଦିନ ଗଲେ ଆପେ ଆପେ କରିବ ଯେ। ଚାଲ, ଚାଲ ଖାତଟା ତୁମ ବାଡ଼ିରେ ମୁଁ ଆଜି ଖୋଳିଦେଇ ଆସେଁ। (ସ୍ତ୍ରୀ ପ୍ରତି) ହଇହୋ ନରିବୋଉ, ମୁଁ ଅଜାଘର ବାଡ଼ିରେ ଖାତଟାଏ ଖୋଳିଦେଇ ଆସେଁ, ତୁମେ କୋବି ଗୁଡ଼ାକ ନେଇ ଯାଅ।

 

ଯବନିକା